ଶୁଣନ୍ତୁ ଧିରେ ସୁଧୀରେ ରବିସୁତ ଦ୍ୱାରେ
ମୃଗଣୀର ଉପାଖ୍ୟାନ ବ୍ୟାଖ୍ୟାନ ସଧୀରେ
ହରି ହରିଣୀ ରଖିଲେ ।୧ ।
କାମ୍ୟକ କାନନେ ଥିଲେ ମୃଗମୃଗୀ ବେନି
ଚିତ୍ରକ ନାମେ ହରିଣ ଶରଳା ହରିଣୀ
ବେନି ଶିଶୁ ସଙ୍ଗେ ଘେନି
ଆନନ୍ଦେ କାଟନ୍ତି କାଳ ହରିଣ ହରିଣୀ ।୨ ।
ଏମନ୍ତେ କେତେକ ଦିନ ହୋଇଲା ଅତୀତ
ନିଦାଘ ଗ୍ରୀଷମ କାଳ ହେଲା ଉପଗତ
ଶୁଷ୍କ ହେଲା ବନଭୂମି
କୋମଳ ତୃଣ ଅଭାବ ସରେ ନାହିଁ ପାଣି ।୩ ।
କିଖାଇ ବଂଚିବେ ଶିଶୁ କରନ୍ତେ ଭାବନା
ହରିଣ ବୋଲେ ଶରଳା ଶୁଣ ମୋ କାମନା
କାଲି ଯିବି ଅନ୍ୟ ବନ
କରି ମୁଁ ଆସିବି ତୃଣ ଜଳ ଅନ୍ୱେଷଣ ।୪ ।
ରଜନୀ ଅନ୍ତ ହୋଏ କୁରଙ୍ଗ ଅନ୍ୟବନେ ଗଲା
ଶିଶୁ ବେନି ଘେନି ତହିଁ କୁରଙ୍ଗୀ ରହିଲା
ତୃଣ ଜଳ ଅନ୍ୱେଷଣ
କରି ବୁଲଇ କାନନେ ଶିଶୁଙ୍କୁ ଘେନିଣ ।୫ ।
ବନ ପ୍ରାନ୍ତର ଦେଖିଲା ଝରଣାର ତୀରେ
ସୁକୋମଳ ତୃଣମାନ ରହିଛି ବିଧିରେ
ବେନି ଶିଶୁ ସଙ୍ଗେ ଘେନି
ପୟପାନ କରି ତୃଣ ଚରିଲା ହରିଣୀ ।୬ ।
ଦଇବ ନିର୍ବନ୍ଧ ଏଣୀ ଜାଣିବ କେମନ୍ତେ
ବ୍ୟାଧ ପାତି ଅଛି ପାଗ ଶିକାର ନିମନ୍ତେ
ଲୁଚି ରହିଅଛି ଜଗି
ଶିକାର ଆସିବା ଦେଖି ପୃଷ୍ଠେ ଦେଲା ଅସି ।୭ ।
ଅନଳ ଦେଖି ଶରଳା ହେଲା ଛନଛନ
ଶିଶୁଙ୍କୁ ଘେନିଣ ଏଥୁଁ ପ୍ରୟାସ କରିଣ
ଏତେ ବିଚାରି ହରିଣୀ
ଯେଣିକି ଗଲା ତେଣିକି ଜାଲ ଅଛି ଟଣି ।୮ ।
ଦେଖିଲା ଆଗରେ ଶ୍ୱାନ କରିଅଛି ଠଣା
ତହୁଁ କିଛିଦୂରେ ଅଛି ବ୍ୟାଧ ବିଡ଼ମ୍ବନା
କରେ ଅଛି ଧନୁର୍ବାଣ
ଭାବିଲି ନିଶ୍ଚୟ ଆଜି ହୋଇଲା ମରଣ ।୯ ।
ଶିଶୁ ବିନେ ବଂଶ ମୋର ନିଶ୍ଚୟ ବୁଡ଼ିବ
ଏ ବିପଦୁଁ ଉଦ୍ଧରିଣ ଧର ବାସୁଦେବ
ବାସୁଦେବ କରେ ଚିନ୍ତା
ତୁମ୍ଭ ବିନୁଁ ଏ ସଂକଟୁ କାହିଁ କେ ରଖନ୍ତା ।୧୦ ।