ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ
ଉତ୍ସୁକ ହୋଇଲା ମନେ ଜାତ
ଦିବା ଶେଷ ଅନୁସରି କିଶୋରୀ ସୋହାଗ ସ୍ୱରୀ
କାମଶରେ ହୋଇଲେ ପିଡ଼ିତ ।୧ ।
ଖେଳ ପରିହାସଣିତ ମର୍ମେଲାଗେ ବିପରୀତ
ରାଧା ଭାବେ ବିହ୍ୱଳିତ ମତି
ଗୋପାଳ ପୁଅକୁ ଛନ୍ଦେ ଭଣ୍ଡିଲେ କଥା ପ୍ରବନ୍ଧେ
ଅଦୂରେ ଶୁଭୁଛି ବ୍ୟାଘ୍ର ଗତି ।୨ ।
ଚାଲ ସର୍ବେ ପଳାଇବା ଏ ବନେ ଆଉ ନଥିବା
ଥିଲେ ଏଥି ପଡ଼ିବ ପ୍ରମାଦ
କୃଷ୍ଣ କଥା ଶୁଣି ପୋଏ ଅନ୍ତରେ ପାଇଣ ଭୟେ
ସଂଗ କରି ଚଳିଲେ ଗୋବିନ୍ଦ ।୩ ।
ମାୟାଧର ମାୟାକଲେ ଛାୟା କୃଷ୍ଣ ମଙ୍ଗେନେଲେ
ଏକା ବସି ଭାଳନ୍ତି ଶ୍ରୀପତି
ରାଧାଭାବେ ଯଦୁନାଥ ବିରହେ ବ୍ୟଥିତ ଚିତ
ଦିବା ଶେଷେ ହୋଇଲାକି ରାତି ।୪ ।
କିଶୋରୀ ପୁରେ ଗମନ କଲେ ନନ୍ଦର ନନ୍ଦନ
ଜଗତ ବନ୍ଦନ ପୀତବାସ
ରାଧା ମାଧବ ମଂଜୁଳ ଯୁଗଳ ପଦ କମଳ
ଦୀନ ହୀନ ବାସୁଦେବ ଆଶ ।୫ ।