ରାଇ ବିନୋଦିନୀ ଧନି ହୋଇ କାମେ ବଶ
ଲଳିତାକୁ ଡାକି ପାଶେ କହଇ ବିଶ୍ୱାସ
ସଖୀ ଗୋ ଥରେ ମୋ ବୋଲ କର
ତୋଷନାଟି ନାହିଁ ପ୍ରତିକାର
ଟାଣ ରଖିବୁ ଟାଣ ରଖିବୁ
ସଖୀ ସମାଜେ ତୋ ପଣ ଟେକିବୁ ।୧ ।
ବୃନ୍ଦାବନେ ଯାଇସଖୀ ହୋଇବୁ ପ୍ରବେଶ
କହିବୁ ଗୁପତେ ଶ୍ୟାମ ପାଶେ ଏ ସଂଦେଶ
ସଖୀ ଗୋ କେହି ନ ଜାଣିବେ
ଏକାକୀ ଯେକାଳେ ହରିଥିବେ
ଚାଟୁ ବଚନେ କହିବୁ
ଲୋତକ ଲୋଚନେ ।୨ ।
ରୋଷ ପରି ହରି ହରି ଚଳ ମୋର ସଙ୍ଗେ
ନୋହିଲେ ମରୁଛି ରାଇ ନିରାସ ଅନଙ୍ଗେ
ହରି ହେ ଦନ୍ତେ ତିରଣ ଧରି
କହିଛି ସେ ଶତେବାର କରି
ଯେବେ ନଯିବ ହରି
ନାରୀ ହତ୍ୟା ଦୋଷ ଦେବ ଗୋରୀ ।୩ ।
ଅବିରତେ ଅଶ୍ରୁନେତ୍ରେ ବସିଛି ଅନାଇ
ମୁଖେ ଜପୁଛି ନିରତେ କହ୍ନାଇ କହ୍ନାଇ
ହରି ହେ କ୍ଷୀଣ ହେଲାଣି ଦେହ
ମିନ ନୟନରୁ ବହି ଲୁହ
କର କାରଣ କାରଣ
ନୋହିଲେ ତେଜିବ ପରାଣ ।୪ ।
ମୋହନ ମନ୍ତର ତୋର ବାସୁଦେବ ନାମ
ହୀନ ବାସୁଦେବ ଦୀନ ଲୋଡୁଛି ଶରଣ
ହରି ହେ ଗତି ମୁକତି ଦିଅ
ଭକତି କୁସୁମେ ଘେନି ସ୍ନେହ
ନାମ ମନ୍ତର ମନ୍ତର
କରିଛି ସଦୟେ ଅନ୍ତର ।୫ ।